Unknown

 

 

 

 

 

 

 

 

 

ନରାଜ

ମୃତ୍ୟୁଞ୍ଜୟ ରଥ

 

ସତେ କି ଏ ନେତ୍ରେ

ବିରାଜିବ ଆଜ ?

ଭେଟାଇଲା ଆଦ୍ୟେ

ଏହି ଆଶାବନ୍ଧ

ସନ୍ଧ୍ୟାଟନବନ୍ଧୁ

କାଠଯୋଡ଼ୀ-ବନ୍ଧ ।

 

 

ବାଳଭାନୁ ସ୍ୱର୍ଣ୍ଣ

କିରଣେ ଛୁରିତ

ସିକତାଶୟନ

ଦିଶେ ଶ୍ୱେତପୀତ ।

ଶବଳିତ ଶଯ୍ୟା

ତେଜି ପଶ୍ଚିମାସ୍ୟେ

ପଶ୍ଚିମାଶାପଥ

ଧରୁଁ ପୂର୍ଣ୍ଣ-ଆଶେ ।

 

 

ପ୍ରାଚୀର ଆକାରେ

ଦୁରୁ ଶୈଳ ରେଖା

ନୀଳ ବ୍ୟୋମତଳେ

ଠୁଳେ ଦେଲା ଦେଖା ।

ଏକେ ଏକେ ପାଶେ

ହେଲେ ସୁବ୍ୟକତ

କେ ନୀଳ ହରିତ

ମିଶ୍ର ଆରକତ ।

 

 

ଦକ୍ଷିଣେ ପାଟଳ

ନେତଲ ମୁଣ୍ଡିଆ

ଭାଲୁଙ୍କା ଚୂଡଙ୍ଗ

ପାଶେ ପାଶେ ଠିଆ ।

ଉତ୍ତରେ ବିଧାର

 ପୁର ଟାଙ୍ଗି ଦିଶେ

କ୍ଷେତ୍ର ସୀମାପ୍ରନ୍ତ

ସେତୁ ସତେ କି ସେ ?

 

 

 

ମଧ୍ୟେ ବିରାଜଇ

ସିନ୍ଦୂର ବରଣୀ

ଚର୍ଚ୍ଚିକାଗାମିନୀ

ଗୈରିକ ସରଣୀ ।

ମୂଳେ ମୂଳେ ଯାଇ

ଏହି ଟାଙ୍ଗି ଅନ୍ତେ

ପ୍ରତୀଚୀ ପ୍ରଣୟି

ପ୍ରୟାଣେ ଚଳନ୍ତେ ।

 

 

ଦିଶିଲା ଅଦୂରେ

ନରାଜ ମୁହାଣ

ଉତ୍କଳେ ପ୍ରୟାଗ

ନାମେ ଯାର ଟାଣ ।

କାଠଯୋଡ଼ୀ ଯହିଁ

ଲଭିଛି ଜନମ

ବେନି ସଙ୍ଗ ତହିଁ

କିବା ମନୋରମ !

 

 

ତୀରେ ବିରାଜିତ

ମହା-ଛାୟାବଟ

ଉତ୍କଳେ ଏହି କି

ହେବ ଶ୍ୟାମବଟ ?

ଘଞ୍ଚ ଡାଳପତ୍ରେ

ଥିବାରୁ ସୁସଞ୍ଚ

ଛୁଇଁ ନ ପାରଇ

ଆତପ ଯା ମଞ୍ଚ ।

 

 

ଦିନମାନ ଏଥି

ପାଷାଣ ବିନ୍ଧାଣୀ

ଯାପନ୍ତି ଆତପ

କଷଣ ନ ଜାଣି ।

ଗ୍ରୀଷ୍ମେ ଥୋକେ ତାପ

ଦେଖିଲେ ଅନଳ୍ପ

ଆଶ୍ରନ୍ତି ମଧ୍ୟାହ୍ନେ

ଯା ଶୀତଳ ତଳ୍ପ ।

 

 

 

ସେହି ବଟମୂଳୁଁ

ନଈର୍ଋତେ ଯାନ୍ତେ

ପଡ଼ିଲେ ନରାଜ

ଯାତ୍ରୀ ନେତ୍ରପ୍ରାନ୍ତେ ।

କେ କେତେ କରମେ

ଯାଉଛନ୍ତି ମାଡ଼ି

ଅମନ୍ଦେ ବନ୍ଧୁର

ପଥେ ବାନ୍ଧି ଧାଡ଼ି ।

 

 

ବେତୁଲି ଟୋକେଇ

କାଖେ କାଖିଆଇ

ଶବର ପୁରନ୍ଧ୍ରୀ

 ଗମନ୍ତି ଧୁଆଁଇ ।

ଜଞ୍ଜାଳ ଝଞ୍ଜାରେ

କ୍ଷେପି କ୍ଷିପ୍ରେ ପାଦ

ଲକ୍ଷ୍ୟ ସ୍ଥାନେ ଯାନ୍ତି

ନଗଣି ପ୍ରମାଦ ।

 

 

ପୂରିଲେ ଭାଜନ

ଫେରିବେ ଭବନେ

ନିଜ ପଣ୍ୟ ଘେନି

ଆଶାପୂର୍ଣ୍ଣ ମନେ ।

ବାହୁଡ଼ନ୍ତି କେହି

ଖଡ଼ି ଶିଳା ଶିରେ

 

 

ପାର୍ଶ୍ୱ-ପଲ୍ଲୀ ପ୍ରୌଢ଼ା

ଯୁବତୀଏ ଧୀରେ ।

 

 

ଦିଶନ୍ତି ଏ ଖର୍ବା

ଗ୍ରୀବା ସଂକୋଚରେ

ମ୍ଳାନଗଣ୍ଡ ଯୁଗେ

ସ୍ୱେଦଧାରା ଝରେ ।

ବିଷାଦ ଭାବନା-

ମିଶ୍ରିତ ବରଣେ-

ଅଙ୍କିତ ବଦନ,

ତାଙ୍କ ଅପଘନେ ।

 

ହିମପାତେ ମ୍ଳାନ

କମଳ ପରାଏ

ଖଣ୍ଡିତ ମୃଣାଳ-

ଗଳେ ଶୋଭାପାଏ ।

ବନ୍ଧୁରିତ ଉର

ବିଜଡ଼ିତ ବାସେ

ନୁହେ ହୃଦ ମନ୍ଦୀ-

ଭୂତ ଲଜ୍ଜାତ୍ରାସେ ।

 

 

ସ୍ଥିର ରଖି ବେନି

ଚକ୍ଷୁ ନାସାମୁନେ

ଗମନ୍ତି ମନ୍ଥରେ

ଆହା କି ମଉନେ ?

ଭାରବନ୍ତଶିଳ

ବସାଇ ମସ୍ତକେ

ଆସୁଛନ୍ତି ଥୋକେ

ଖଣିରୁ ବାହକେ ।

 

 

ତାଙ୍କ ବିନା ଆଉ

ସେ ଶିଳାଭାଜନ (୧)

ବହିବାକୁ କିଏ

ହେବ ବା ଭାଜନ ?

ଉଦର ଯନ୍ତ୍ରଣା

କରେ କଦର୍ଥନା

ସେଥିପାଇଁ କାର

ନ ଥାଏ ଶୋଚନା ।

 

(୧) ଭାଜନ ବୋଝ

ନାହିଁ ସାଧ୍ୟ କେଣେ

ଚାଳିବାକୁ ମୁଖ

ସହନ୍ତି ସମ୍ମୁଖେ

ତପନ ମୟୁଖ ।

ବେନି କର୍ଣ୍ଣମୂଳେ

ସ୍ୱେଦ ଜଳଧାର

ବହିଯାଏ ଶୈଳ-

ଗର୍ତ୍ତୁ ଝରାକାର ।

ଖଣି ଗର୍ତ୍ତେ କେତେ

ଶିଳ୍ପଶିଳ୍ପୀ ଛପି

କାଟୁଛନ୍ତି ଶିଳା

ଜଳପି ଜଳପି ।

ଶାର୍ଦ୍ଦୁଳ ପରାଏ

ଗରଜି ଶାବଳ

ପ୍ରବଳ ଟଙ୍କାରେ

ଟାଳଇ ପଥର ।

ଯନ୍ତ୍ର ଘେନି ଥୋକେ

ଗଢ଼ନ୍ତି ବର୍ଦ୍ଧକୀ

ଶିଳ ଶିଳପତା

ଖମ୍ବ ଖୁଣ୍ଟି ଚକି ।

ଛାୟାପ୍ରଦ ବଟ

ପନସ ରସାଳ-

ଆଦି ଦ୍ରୁମ ପାଶେ

ଶୋହେ ଯେଉଁ ମାଳ,

ନଦୀ ପାରି ହୋଇ

ଦୂର ଶଗଡ଼ିଆ

ଛାୟାତଳେ ଯାର

ହୋଇ କ୍ଷଣେ ଠିଆ,

ଚଳନ୍ତି ଅଦୂର

ସ୍ଥଳେ କେ ଉପେକ୍ଷି,

କେହି ବା ଲାଗନ୍ତି

ପାକେ ବେଳ ଦେଖି ।

 

ସେ ମାଳ ଦକ୍ଷିଣେ

ନଦୀ ପୂର୍ବପାରେ

ନରାଜ ଅଚଳ

ଠିଆ ନିଜ ଭାରେ ।

କଣ୍ଟାବଂଶ କୁଞ୍ଜ

ପୁଞ୍ଜ ପୁଞ୍ଜ ଅଙ୍ଗେ

ବାଉରି ଶବରେ

ତହିଁ କି ଅଭଙ୍ଗେ !

 

 

କାଟୁଛନ୍ତି କଣ୍ଟା

ଏଣେ ତେଣେ ବୁଲି,

କରେ ଲଗ୍ନ ତୀକ୍ଷ୍ଣ

କଟୁରି ସବୁରି ।

ଦିନଯାକ କଣ୍ଟା

କାଟି ଯେଉଁ ଜନେ

ପରଦିନ ପ୍ରାତେ

ଚଳନ୍ତି ସଗଣେ ।

 

 

ଚଳଗୁଳ୍ମ ରେଖା

ପରାୟେ ସେ ଦଳ

କାଠଯୋଡ଼ୀ ଗର୍ଭେ

ଦିଶେ ଅବିକଳ ।

ନାହିଁ ତାଙ୍କ କ୍ଷୁଧା

ତୃଷା ପଥଖେଦ

ଏ ବୌଦ୍ଧ ଅଚଳେ

ମଣନ୍ତି ଅଭେଦ ।

 

 

ଅଚଳ ମୂରତି

ପଡ଼ନ୍ତେ ନୟନେ

ତା କଳ୍ପିତ ରୂପ

ଛପିଲା ତକ୍ଷଣେ ।

ନୁହେ ଏ ଶଇଳ

ସୁନ୍ଦର ତେସନ,

ମୟୁରାଙ୍କେ (୨) ଶୋହେ

ଯେହ୍ନେ ମେଘାସନ,

 

 

 

(୨)ମୟୁରଭଞ୍ଜରେ

 

 

 

ଉତ୍କଳ ଶିଖରି-

କୁଳେ ଯାର ନାମେ

ପଡ଼ିଅଛି ଗାର

ଖ୍ୟାତି-ଶୀର୍ଷଧାମେ ।

ତଡିଲ୍ଲତା ଯାର

ଶିଖରେ ବିଳସି

ନିମେଷକେ ମିଶି-

ଯାଏ ସେ ନଭସି ।

 

 

ଲହଡ଼ା ସୀମନ୍ତ

ଗିରି ମାଲ୍ୟବନ୍ତ

ବିବିଧ ବିଭବେ

ପୂରିତ ଯେମନ୍ତ ।

ଅସମ୍ଭବ ତାହା

ସଙ୍ଗେ ୟାର ତୁଳା

କବି କଳପନା

ଏଥି ପ୍ରତିକୂଳା ।

 

 

କେନ୍ଦୁଝର ଶିରୀ

ଗିରି ଗୋନାସିକା

ତପୋରତ ଋଷି-

ବାସ ପ୍ରକାଶିକା (୩)

ଯଜ୍ଞକାଳେ ଯହିଁ

ହୋମାନଳଭାଣ୍ଡେ

ମ୍ଳେଚ୍ଛ କରିଚ୍ଛିନ୍ନ

ଧେନୁମୁଣ୍ଡ ଚାଣ୍ଡେ ।

 

 

(୩) ଗୋନାସିକା ଶୈଳର ପାଦ ଦେଶରେ ଋଷି ସଭାନାମକ ସ୍ଥାନ ଋଷିବାସର ସୂଚକ । ଏହିଠାରେ ଆଦ୍ୟା ବୈତରଣୀ ଗଙ୍ଗା ଲେଖାଅଛି । ଏହାର ନାମକରଣ ସମ୍ବନ୍ଧରେ ଏହି କିମ୍ବଦନ୍ତୀ ଅଛି ଯେ, ଋଷି ମାନେ ଯଜ୍ଞ କରୁଥିବା ବେଳେ ଅନାର୍ଯ୍ୟମାନେ ଗୋଟିଏ ଗୋରୁର ଶିରଶ୍ଛେଦନ କରି ହୋମ କୁଣ୍ଡରେ ପକାଇ ଦେଇଥିଲେ । ସେହି ଗୋନାସିକାରନ୍ଧରୁ ରକ୍ତ ବହି ଯଜ୍ଞକୁ କଳୁଷିତ କରିବାରୁ ସେମାନେ ବ୍ରହ୍ମାଙ୍କୁ ସ୍ତୁତି କଲେ ଏବଂ ତାଙ୍କ ପ୍ରସାଦରେ ସେଠାରେ ଆଦ୍ୟାବୈତରଣୀ ଗଙ୍ଗା ଆବିର୍ଭୁତା ହୋଇ ସେ ସ୍ଥଳ ପବିତ୍ର କଲେ ।

 

 

ପଡ଼ନ୍ତେ ରୁଧିର-

ଧାରା ନାସାବିଳୁ

ଝରି କଳୁଷିତ

କରିଲା ତହିଁରୁ ।

ଗୋନାସିକା ଆଖ୍ୟା

ଧାରୀ ଯେ ଶଇଳ

ବ୍ରହ୍ମାବରେ ଗଙ୍ଗା-

ପ୍ଳାବିତ ଶରୀର ।

 

 

ଯା ପାଦୁ ସମ୍ଭବି

ଆଦ୍ୟା ବୈତରଣୀ

ପୁଣ୍ୟା ପୟସ୍ୱିନୀ

ପତିତ-ପାବନୀ ।

ଆଦ୍ୟା ରାଜଧାନୀ

ପାଦ ଧୋଇ ମୁଦେ

ମିଶାଇଛି ଉଦ

ମହୋଦଧିହୃଦେ ।

 

 

 

ତନୁଜା ଗର୍ବିଣୀ

ତାହା ନିକଟେ କି

ରହିବ ନରାଜ

ଦଣ୍ଡେ ମୁଣ୍ଡ ଟେକି ।

ନୀଳଗିରି ଗିରି-

ମାଳେ ନୀଳତମ

ପାର୍ଶ୍ୱଶୈଳ ବ୍ରଜେ

ଦେବରାଜୋପମ ।

 

 

ଟେକିଥାଏ ନିତି

ଯାର ଶିରେ ଛତି

ହିମରେଖାକାରେ

ଜୀମୂତ ସଂହତି ।

ସେ ସ୍ୱର୍ଣ୍ଣଚୂଡ଼ର

ସମ ନାହିଁ ୟାର

ତୁଙ୍ଗ ଶଙ୍ଗ, ଅନ୍ୟେ

କରେ ଯା ଧିକ୍‌କାର ।

 

 

ଦର୍ପଣ ମଣ୍ଡଳେ

ଦର୍ପେ ଦଣ୍ଡାୟିତ

ପଞ୍ଚ ଦେବ ଅଧି-

ଷ୍ଠାନେ ପ୍ରତିଷ୍ଠିତ ।

ସ୍ତବକିତ ଚାରୁ

ଅଶୋକେ ଯାହାର,

ବସନ୍ତ ମାଧୁରୀ

ଦିଶେ ମହୋଦାର ।

 

 

ସୁବର୍ଣ୍ଣ ବରଣ

ସୁନା ଝର ଯହିଁ

ମଣ୍ଡେ ଗଣ୍ଡଭାଗ

ଅଗୋଚରେ ବହି ।

ମନ୍ଦିରର ଉପ-

କଣ୍ଠ ଜଳକୁଣ୍ଡେ

ଝରି ଆସେ ସ୍ୱଚ୍ଛ

ନୀର ବୃଷ ତୁଣ୍ଡେ ।

 

 

 

ଶ୍ୱାପଦ-ସଙ୍କୁଳ

ତୁଙ୍ଗ ଶୈଳେଶ୍ୱର

ବିନାୟକ ପରି

ଏ ନୁହେ ଶ୍ୟାମଳ !

ଢେଙ୍କାନାଳ ଶୈଳ-

ମାଳ-ମଣିହୀରା

ଶିବ ଅଧିବାସେ

ପବିତ୍ରିତଶିରା ।

 

 

କପିଳାସ, ସ୍ୱଚ୍ଛ-

ଝରେ ମନୋହାରୀ

ସ୍ମରିଲେ ଏହାକୁ

କେ ଯିବ ପଚାରି !!

କୃଶୋଦରୀ ଦୟା

ମାଧୁରୀ ଈକ୍ଷଣେ

ଜଡ଼ ସାକ୍ଷୀ ମଧ୍ୟେ

ବିଚକ୍ଷଣ ଜଣେ ।

 

 

ଯା ପାଦେ ନଗରୀ

ଥିଲା ଶୋଭମାନା

ବୌଦ୍ଧଙ୍କର ଯହିଁ

ଉଡ଼ୁଥିଲା ବାନା ।

ଘୋର ଗିରିଗୁହା

ସୂକ୍ଷ୍ମୁ ସୂକ୍ଷ୍ମତରେ

ମୁହାଁଇଛି ଯହିଁ ଶିଖୁଁ

ରସାତଳେ ।

 

 

ଧର୍ମ୍ମାଶୋକ ଧର୍ମ୍ମ-

ଆଦେଶ ଯା ପାଶେ

ଅଶ୍ୱତ୍‌ଥାମା କୁମ୍ଭ-

ଦେଶ ପରକାଶେ ।

ଦେଉଳମଉଳି

ସେହି ଧଉଳିର

ତୁଲେ ଏ ଶଇଳ

ଟେକିବ କି ଶିର ?

 

 

ଅଖଣ୍ଡ ବଉଦ୍ଧ

ଯଶ ହୃଦେ ବହି

ସେ ଖଣ୍ଡ ଉଦୟ-

ଗିରି, ପୂର୍ବେ ଯହିଁ

ବିହିଥିଲେ ରାଜ-

ଧାନୀ ରାଜରାଣୀ (୧)

ବଖାଣିବ କିଏ

ସେ ଶିଳ୍ପ-କାହାଣୀ ?

 

 

(୧) ଏହିଠାରେ ପ୍ରସିଦ୍ଧ ରାଣୀହଂସପୁରର ଦ୍ୱିତଳ ଗୃହରେ ପୂର୍ବେ ରାଜା ଲଳିତେନ୍ଦ୍ର ଓ ତଦୀୟ ମହିଷୀ ମଧ୍ୟେ ମଧ୍ୟେ ବାସ କରୁଥିବାର ଇତିହାସରୁ ପ୍ରମାଣ ମିଳେ ।

 

 

ନାନା ଗୁମ୍ଫାଲିପି

ପ୍ରାସାଦେ ମଣ୍ଡିତ

ତା ଦେଖିଲେ ଏଥି

ଚଳିବ କି ଚିତ୍ତ ?

ଖୋରଧାର ସାର

ଶଇଳ ବରୁଣୀ;

ବାରୁଣୀ ଆକାଶେ

ଦିଶେ ଯାହା ପୁଣି ।

 

 

ଦୂରୁ କ୍ରମନିମ୍ନ

ତ୍ରିବଙ୍କିମ ରେଖା-

ପରାଏ ସୁନ୍ଦର,

ତାକୁ କି ଏ ଲେଖା !

ଯା ନିତମ୍ବେ ଦେବୀ

ପାଦୁଁ ପୂତ ଝର

ଝରି ସ୍ଥଳୀ କରେ

ପ୍ରପାତେ ମୁଖର ।

 

 

 

ରାଜଇ ଯା ଶିରେ

ଗଭୀରା କୁଜଳା-

ଗୁପ୍ତଗଙ୍ଗା ସଙ୍ଗେ

ସେ ପାଣ୍ଡବଘରା ।(୨)

 

 

(୨)ଏହି ପାହାଡ଼ ଉପରେ ‘ପାଣ୍ଡବଘରା’ ବିଦ୍ୟମାନ। ପାଣ୍ଡବମାନେ ଏଠାରେ ଥାଇ ପଶା ଖେଳିଥିଲେ ଏବଂ ଭୀମ ହସ୍ତର କାଠି ଉପରେ ବାଜି ଖଣ୍ଡେ ପଥର ଛିଡ଼ିଯାଇ ଥିବାର କିମ୍ବଦନ୍ତୀ ଅଛି । ଏହା ନିକଟରେ ଥିବା ଗୁପ୍ତଗଙ୍ଗାର ଜଳ ପେୟ ନୁହେଁ । ରଜସଂକ୍ରାନ୍ତିକୁ ଏଠାରେ ବହୁ ଲୋକଙ୍କର ମେଳା ହୋଇଥାଏ ।

 

 

କ୍ରୀଡ଼ାକାଳେ ଭୀମ

ଅକ୍ଷକାଠି ବାଜି

ଛିଡ଼ିଥିଲା, ଯେଉଁ

ଶିଳା ତାହା ଆଜି,

ଦେଖାଇ ସେ କଥା

କହନ୍ତି ପଥିକେ

ରଜପର୍ବେ ଅନୁ-

ଯାତ୍ରିକଙ୍କୁ ଠିକେ ।

 

 

ରୁଣ୍ଡୀଭୂତ ଶୈଳ

ମଧ୍ୟେ ମୁଣ୍ଡ ଟେକି

ଦର୍ପୋନ୍ମତ୍ତ ନିଜ

ଉନ୍ନତିକି ଦେଖି ।

ଏହି ଯେ ଦିଶଇ

ସପ୍ତଶଯ୍ୟା ଗିରି

ତା ତୁଳାରେ ୟାର

ଅଛି କିବା ଶିରି !!

 

 

 

ପୂରିଛି ଏପରି

କେତେ ଗିରିଟଙ୍କ

ଶଇଳ-ସଂକୁଳ-

ଉତ୍କଳର ଅଙ୍କ ।

ସୁନ୍ଦର ଶ୍ୟାମଳ

ସ୍ନିଗ୍‌ଧ ସେ ସକଳ

କିନ୍ତୁ କି କୁତ୍ସିତ

ୟାର କଳେବର !

 

 

କାହିଁଛି ଏହାର

ସେ ଶୋଭା-ବିଭବ

ମୂହୁ ଦେଖି ଯାହା

ଦିଶେ ନବ ନବ ।

ଏ ଶିଳା ମଣ୍ଡଳେ

ନାହିଁ ସେ ସ୍ନିଗ୍‌ଧତା

ବର୍ଣ୍ଣୋତ୍ସବମୟ

ମାଧୁରୀ ମୁଗ୍‌ଧତା ।

 

 

ଝରୁ ନାହିଁ ଏହା

ଦେହୁ ସ୍ୱଚ୍ଛ ଝର

ଶୁଷ୍କଶିଳା ଶୁଷ୍କ

ପତରେ ମର୍ମ୍ମର ।

ନୁହଇ ଏ ଶୈଳ

ମରକତ ସେତୁ

ଲତା ଗୁଳ୍ମମାଳେ

ରହିତ ଯେହେତୁ ।

 

 

ନାହିଁ ତ ଏଥିରେ

କେକି-କେକାରବ,

କଳରବ ବିନା

ନିତାନ୍ତ ନୀରବ ।

ନାହିଁ ଏଥି ଛାୟା-

ଦକ୍ଷ ବନସ୍ପତି

ହରିବ ମଧ୍ୟାହ୍ନେ

ପଥିକ-ତପତି ।

 

 

 

କି ଅଛି ବା ଏଥି

ଦୃଶ୍ୟ ମନୋହର

ଆକର୍ଷିବ ଲେଶେ

ଦର୍ଶକ ଅନ୍ତର ।

ନ ଥାଉ ପଛକେ

କିଛି ଏହିମାନ

ତଥାପି ନରାଜ

ଦିଶଇ ମହାନ ।

 

 

ଏ ଯେଉଁ କୁଞ୍ଚିତ

କାଇଁଚ ଲତିକା

ରତ୍ନଫଳ-ପୁଞ୍ଜେ

ନିକୁଞ୍ଜ-ଦ୍ୟୋତିକା ।

ଏହି ତ ଏହାର

କୁସୁମ-ସ୍ତବକ

ରକ୍ତାସିତ ମଶ-

ହାର, ବିଭୂଷକ ।

 

 

କେ ଅଛି ୟାପରି

ବେଣୁଜଟାଧାରୀ

ତୀର୍ଥ କୂଳେ ସର୍ବ-

ଜନ ମନୋହାରୀ !

ଶୁଷ୍କ ତୁଙ୍ଗ ଭୃଗୁ

ଉକୁଟାଏ ଯାର

ନିସ୍ପୃହ ନିର୍ମମ

ହୃଦୟ-ବିସ୍ତାର ।

 

 

ସେ ବିରାଟ ଶିଳା-

ପଟେ ମହାଫାଟ

ପାତାଳକୁ କିବା

ଫିଟିଛି ଏ ବାଟ !

କିଏ ବା କଳିବ

ଗାମ୍ଭୀର୍ଯ୍ୟ ଏହାର

ନିଗୂଢ଼ ରହସ୍ୟ

କେ ପାଇବ ତାର !

 

 

 

ଶିଳାପରେ ଶିଳା

ବସିଅଛି ମାଡ଼ି

ମହିଷା ଉପରେ

କି କାଳୀ କରାଳୀ !

ପୂର୍ବମୁଖୀ ହୋଇ

ଧୁଏ ଯା ଚରଣ

ମହାନଦୀ ବୀଚି-

ମାଳା ଅନୁକ୍ଷଣ ।

 

 

ସିଦ୍ଧିନାଥ ପୀଠ

ମୁକୁଟ ଲଲାଟେ

ତୀର ବନବାସୀ

ବିହଙ୍ଗେ ଯା ଭାଟେ ।

ବାପୀ ପ୍ରାୟ ତାର

ମହାନଦୀ ଦିଶେ

ବକ୍ଷେ ପ୍ରତିବିମ୍ବ

ବହେ ଦିବାନିଶି ।

 

 

ହୋଇଛି ତୋରଣ

ଦେବୀହାର ଗିରି

ଇତର ଅଚଳେ

ତା ପଛେ ପାଚୀରୀ !!

ଗୈରିକ ସୋପାନ

ପଦବୀ-ଶୋଭିତ

ବଳ୍‌କଳ ପରାୟେ

ସ୍କନ୍ଧ-ବିଳମ୍ବିତ ।

 

 

ଶିରେ କନିଅର

କରେ ନିମଞ୍ଛନା

ବିହି ତହିଁ ପୁଣି

ଆସନ ମାର୍ଜନା ।

କରେ ତରୁପତ୍ରେ

ଚାମର ବ୍ୟଜନ

ତରଙ୍ଗିତ ନଦୀ-

ସଙ୍ଗୀ ସମୀରଣ ।

 

 

 

ଏକା ଏ ମାରୁତ

ଛାୟା ଝର ସମ

ଉପୁଜାଏ ହୃଦେ

ଆହ୍ଲାଦ ପରମ ।

କେତେ ସ୍ଥଳୀ ଖୋଲ

ମଞ୍ଜୁଳ ଏହାର

ଠାବେ ଠାବେ ପୁଣି

ଦିଶେ କି କରାଳ ।

 

 

ଭୀମକାନ୍ତଗୁଣ

ବେନିଙ୍କି ଆଦରି,

ହୃଦେ ମହାଭାବ

ଗମ୍ଭୀରତା ଧରି,

ରାଜଇ ବଉଦ୍ଧ-

ଯତି ପ୍ରାୟ ଆଜ

ଅବା ଏ ନରାଜ

ସତେ ନଗରାଜ ।

 

 

ଶିଖରେ ଏହାର

ଶିଳାଭିତ୍ତି କାଟି

ଚଉପାଶେ କରି

ବେଢ଼ା ପରିପାଟୀ,

ଅନ୍ତର୍ଭୂତ ଶିଳା-

ମୂଳ ଭିତ୍ତିପରେ

ନିର୍ମିଲେ ଦେଉଳ

ଶିଳ୍ପୀଏ କୌଶଳେ,

 

 

ପ୍ରତିଷ୍ଠିଲେ ଇଷ୍ଟ-

ଦେବ ତହିଁ ପରା,

ଶିଳ୍ପୀବଳେ ଖୋଳି

ଗରଭେ ଗମ୍ଭୀରା,

ଧର୍ମଧ୍ୱଜାଧାରୀ

ବଉଦ୍ଧ ପ୍ରଧାନେ

ପ୍ରଜାଙ୍କର ହିତେ

ଆଦ୍ୟେ ବହୁମାନେ ।

 

 

 

ନାହିଁ ଏବେ ତହିଁ

ବଉଦ୍ଧ-ମୂରତି

ରହିଅଛି ମହା-

ମହେଶ ଶକତି,

ଭଜିଲାଣି ଶିବ-

ଲିଙ୍ଗ ଅଦର୍ଶନ

ବିଳମାତ୍ର ଅଛି

ତହିଁ ନିଦର୍ଶନ ।

 

 

ତପୋରତ ସିଦ୍ଧ

ବୁଦ୍ଧମୂର୍ତ୍ତି ଏକ (୧)

ରଖିଅଛି ଶକ୍ତି-

ପୂର୍ବେ ପୂର୍ବଟେକ,

ପଡ଼ି କାହିଁ କେତେ

ନିରଙ୍ଗ ବିଗ୍ରହ

ଚେତାଉଛି ଧର୍ମ-

ଦ୍ରୋହୀଙ୍କ ନିଗ୍ରହ ।

 

 

(୧) ଏହି ଶକ୍ତିର ପୂର୍ବ ପାର୍ଶ୍ୱରେ ଗୋଟିଏ ବୁଦ୍ଧମୂର୍ତ୍ତି ରହିଅଛି ।

 

 

ଦେଉଳର ଚୂଡ଼ା-

ପିଣ୍ଡ ମୁଣ୍ଡେ ବହି

ସୌମ୍ୟ ବୌଦ୍ଧମୂର୍ତ୍ତି

ଚାରି ବିରାଜଇ,

ମନ୍ଦିର ପଶ୍ଚିମେ

ଉଭାଏ ମଣ୍ଡପ,

ସଦା ସୁଶୀତଳ

ଯା ଚାରୁ ତଳପ ।

 

 

 

ହରଇ ଏ ପଥ-

ଶ୍ରାନ୍ତି ପଥିକର,

ତଥା ଏ ସମ୍ମୁଖ

ଦୃଶ୍ୟ ମନୋହର ।

କାନ୍ତତର ଏଥି

ସୁକାନ୍ତିଙ୍କ ସୂତା

ନାନାଜାତି-ତରୁ-

ଶୈଳଭିତ୍ତି-ଯୁତା,

 

 

ଶଇଳ କବଳୁ

ବାହାରିଲା ପରି

ଦେବୀଦ୍ୱାର ପାଶେ

ଦିଶନ୍ତି ସୁନ୍ଦରୀ ।

କୃଶୋଦରୀ ଏହି

ଠାବେ ପ୍ରସାରିତା,

ସୁବିପୁଳ ପୂରେ

ଦୂରେ ପ୍ରବାହିତା ।

 

 

ବର୍ଷାକାଳେ ଯେବେ

ପୂରି ଦେବୀଦ୍ୱାର

ମହାଘୋର ନାଦେ

ଡେଇଁପଡ଼େ ଧାର,

ସେକାଳେ ଆକାର

ୟାର କି ବିରାଟ !

ଦେଖନ୍ତି ଏକା ତା

ସେହି ଶୈଳଥାଟ ।

 

 

ଏବେ ଏ ଶୈଳର

ନୀଳ ଦରପଣ

ପରାଏ ହରଇ

ଦର୍ଶକ ନୟନ ।

ଆହା ! ଏ ସଲିଳ

କେଡ଼େ ସୁବିମଳ

ଉତ୍କଳ ଉତ୍ସଙ୍ଗେ

କିବା ଗଙ୍ଗାଜଳ ?

 

 

 

ନମସ୍ତେ ଜାହ୍ନବି !

ଉତ୍କଳ ପାବନୀ

ବିଚିତ୍ର ଉପଳ-

ଚିତ୍ର ଅପଘନୀ ।

ତୋ ଦର୍ଶନେ ହୃଦ

କି ପ୍ରସନ୍ନ ଆଜି

ଧ୍ୱଂସିଲା କଳୁଷ

ତୋର ବାରି ବାଜି,

 

 

ସୁବିପୁଳ କୋଳ

ଯେହ୍ନେ ତୋ ସରିତ

ସକଳେ ପାଳିବା

ପାଇଁ ପ୍ରସାରିତ !

ତୋ ସଲିଳେ ଶସ୍ୟ

ଶାଲିନୀ ଅବନୀ

ହୃଦେ ସନ୍ତରଇ

ସନ୍ତତ ତରଣୀ,

 

 

ଉତ୍କଳ ବାଣିଜ୍ୟ-

ବାହିନି, ସୁଭଗା

ରଖିଅଛୁ କେତେ

ଦୁଃଖୁ ତ୍ରିପଥଗା ।

କେତେ ଶାଖା ମେଲି

ଦେଉଛୁ ଉତ୍କଳେ

ଉତ୍କଳ ଉଦର

ପୁଷ୍ଟ ସେହି ଜଳେ ।

 

 

ତୋହଠାରୁ ଜନ୍ମ

ଲଭି କାଠଯୋଡ଼ୀ

ଧାଏ ପୂର୍ବମୁଖେ

ନିଜ ମାର୍ଗ ଲୋଡ଼ି ।

ଉତ୍କଳର ରାଜ-

ଧାନୀ ବିଭବିନୀ

କଟକର ପଦେ

ଖଟେ ଯେ ତଟିନୀ,

 

 

 

ପିଇ କଟକୀଏ

ଯାର ସ୍ୱଚ୍ଛ ପୟେ

ବିହରନ୍ତି ମୁଦେ

ଛଟକେ ଅଭୟେ,

ଯା ତୀର ସମୀର

ସେବି ନାଗରିକେ

ହୃଦେ ମୁଦଭାର

ବହନ୍ତି ଅଧିକେ ।

 

 

ଯା ଜଳୁ ବିପୁଳ

ଜଳଧାରା ଘେନି

ବହେ କୁଆଖାଇ

ଦକ୍ଷିଣଗାମିନୀ ।

ସେହି ଧାରୁ ପୁଣି

ଆଦ୍ୟେ ଭାରଗବୀ

କୁଶଭଦ୍ରା ଦୟା

ମଧ୍ୟେ ଜନ୍ମ ଲଭି,

 

 

ପୂରାନ୍ତି ପୁରୀର

ନୀରସ ଅନ୍ତର

ସେହି ନୀରେ ପୃଷ୍ଟ

କେତେ ନାରୀ ନର ।

ତୋ ଗର୍ଭୁ ସମ୍ଭବି

ସିନା ଏ ସରବେ

ବିତରନ୍ତି ସୁଧା

ଏ ଉତ୍କଳ ଭବେ ?

 

 

ବିରୁପାକ୍ଷ ତପୀ

ତପଃଫଳେ ଧନ୍ୟା

ବିରୁପା ତଟିନୀ

ତୋ ସୁରୂପା କନ୍ୟା ।

ଦେଖଇ ବିମ୍ବିତ

ଯହିଁ ନିଜ ରୂପ

ରାମେଶ୍ୱର ଶୈଳ

ବୌଦ୍ଧକୀର୍ତ୍ତି ସ୍ତୂପ,

 

 

 

ରଥାଙ୍ଗ ଦମ୍ପତି

ପ୍ରୀତିବରଧନୀ

ସୁଶସ୍ୟଶାଳିନୀ

ଯା ତୀର ଅବନୀ ।

ଚାରୁ ଚିତ୍ରୋତ୍ପଳା

ମାହେଶ୍ୱରୀ ଚିତ୍ରା ।

ଉତ୍ପଳେଶ ଶିବ

ଯୋଗେ ସୁପବିତ୍ରା ।

 

 

ବହିଯାଏ ପଦ୍ମ-

ବନ ପଦତଳେ

ଜଳଧାର ଯାର

ମୃଦୁ କଳକଳେ ।

ଭକତ ଅଚ୍ୟୁତ

ଯା ଜଳେ ବର୍ଦ୍ଧିତ

ଚିତ୍ରତୋଳା ନାମେ

ଖ୍ୟାତ ସେ ସରିତ ।

 

 

ଏ ଆଦି ବିବିଧ

ନଦୀରୂପେ ଏକା

ତୁହି, ବହୁରୂପୀ-

ବେଶେ ଦେଇ ଦେଖା,

ସେବିଲୁ ବିବିଧ

ଜନପଦ ପଦ

ସେ ଜଳ-ସମ୍ପଦେ

ନୁହେ କେ ଉନ୍ମଦ ?

 

 

କ୍ଷୁଦ୍ର ସର୍ପେଶ୍ୱରୀ

ତୋର ପାର୍ଶ୍ୱେ ଧାଏଁ

ଶଇଳ ଉଢ଼ାଳେ

କୃଶାଙ୍ଗ ଲୁଚାଏ ।

ଗର୍ଭ ଶୋଭି ଶୁଭ୍ର

‘ଧବଳ-ଈଶ୍ୱର’

ଉପୁଜାଏ ଭଙ୍ଗ

ତରଙ୍ଗେ ତୋହର ।

 

 

 

କେତେ କାହିଁ ଗିରି

ତୀରେ ହୋଇ ଠିଆ

ବଢ଼ାନ୍ତି ତୋହର

ଗମ୍ଭୀରପଣିଆ ।

ଠାବେ ଠାବେ ଉଠି

ମହା ତଣ୍ଡିପଠା (୧)

ନ ଦିଅନ୍ତି ତୋର

ଭଙ୍ଗେ (୨) ପଛହଟା,

 

 

(୧) ‘ନନ୍ଦିକେଶ୍ୱରୀପଠା’ ପ୍ରଭୃତି ଏହାର ଦୃଷ୍ଟାନ୍ତ ସ୍ଥଳ-। ବର୍ତ୍ତମାନ ସେ ସବୁ ଜୀବଜନ୍ତୁର ଆବାସଯୋଗ୍ୟ ସ୍ଥଳରେ ପରିଣତ ହୋଇଅଛି ।

 

(୨) ତରଙ୍ଗ ।

ତେଢ଼ିବାରୁ ତୋର

ଢେଉକୁ ସେ ହେଳେ

ସ୍ଥଳ ମଣି ଜୀବେ

ଚରିଲେଣି ମେଳେ ।

ଏ ସକଳ ହେଳି

ତୁହି କଲ୍ଲୋଳିନି,

ହୋଇଅଛୁ ଦୂରେ

ସାଗର-ସଙ୍ଗିନୀ ।

ଏ ଉତ୍କଳେ ତୋର

ଚିତ୍ର କଳେବର

ସଭିଙ୍କି ଦିଶଇ

ଅତି ମନୋହର ।

ସରି ସରି ହୋଇ

କେତେ ନାଳ ଶିରା

ପ୍ରସରି ଧରାକୁ

କରିଛି ରୁଚିରା ।

ନୀଳଋଜୁ ରେଖା

ପରି ଦୂରଯାଏ

ତୀର ତରୁ ମଧ୍ୟେ

ଯାହା ଶୋଭାପାଏ

ରାଜହଂସ ପ୍ରାୟେ

ମିଶିଯାଏ ଜଳେ

ଧବଳ ବୋଇତ

ଦୂରେ ଯା ଅନ୍ତରେ ।

ରନ୍ଧ୍ରୁ(୩) ବନ୍ଧ

ମଧ୍ୟେ ବହି ଯାର ଜଳ

ତୀର ଧରଣୀକି

କରଇ ଶ୍ୟାମଳ ।

ଯୋଡ଼ି କଙ୍କତିକା

ଜଡ଼ିଲା ପ୍ରକାର

ରାଜଇ ଯା ଶିରେ

ସେତୁ ଜାଲି ବାଡ଼ ।

 

(୩) ପ୍ରତ୍ୟେକ ନାଳ ମଧ୍ୟରେ ଗୋଟିଏ ଛିଦ୍ର ବା ପୋଲରୁ କ୍ଷୁଦ୍ର ପାଣିନାଳମାନ ବାହାରି ଉଭୟ ପାର୍ଶ୍ୱର କ୍ଷେତ୍ରକୁ ଜଳ ଯୋଗାଏ ।

ଯା ଯୋଗୁ ବନ୍ଧନ

ଲଭି ତରଙ୍ଗିଣୀ

ଅଶ୍ରୁ ଝର ପାତେ

ସଦା ବିଳାପିନୀ ।

ସେଠା ବିଚିତ୍ରତା

ନୋହିବଟି ହୁଡ଼ି

ମୁଦ ଦମକରେ

ହୃଦ ଯାଏ ବୁଡ଼ି ।

ପ୍ରତି ଅର୍ଗଳୀରେ

(୪) ଯନ୍ତ୍ରର୍ଗଳ ମାୟା

ଦେଖି ପାସୋରିବ

କିଏ ତାର ଛାୟା ?

ଏ ଆଦି ଯାବତ

ଶୋଭା ଉପାଦାନ

ତୋର ଯୋଗୁଁ

ମହା-ନଦୀ, ମହୀୟାନ ।

(୪) ଅର୍ଗଳ= Look ଅର୍ଥାତ୍ ନାଳର ଅର୍ଗଳସ୍ଥାନ । ସାଧାରଣତଃ ଲୋକେ ଏହାକୁ ସେହି ଲକ୍‌କହିଥାନ୍ତି ।

ନଭେ ଏବେ ରବି

ଖରୁଁ ଖରତର

ନଦୀ ବକ୍ଷ ତୀକ୍ଷ୍‌ଣ-

ମୟୂଖେ ଭାସ୍ୱର ।

ଦେହେ ସହି ଆହା

ସେ ଆତପ ଦାହେ

କରମ ଆଦରି

ମାଝୀ ତରୀ ବାହେ ।

 

ଖର କରଜାଳେ

ଦୂରେ ଦିଶେ ତରୀ ।

କୁହେଳି ଗରଭେ

ଲିଭିଗଲା ପରି ।

ସମୀର ପରଶେ

ନୀର ଆସ୍ତରଣ

ମୃଦୁଳ ହିଲ୍ଲୋଳେ

କରି କଳସ୍ୱନ,

 

 

ତାଳେ ତାଳେ ଶିର

ନରାଜ ଶଇଳ-

ପଦତଳେ ପିଟେ

ହୋଇଣ ସଲୀଳ ।

ଜଳଜନ୍ତୁଙ୍କର

ନାହିଁ ସେ ସ୍ଫୂରତି

ସର୍ବେ ନିସ୍ତବ୍‌ଧତା

ଭଜିଲେଣି ଅତି ।

 

 

ନାହିଁ ଏବେ ଶିଳା-

ଶିଳ୍ପୀର ଗହଳ

କାହିଁ ସେପାଷାଣ-

ହଣା କୋଳାହଳ ?

ମିଶାଏ ସ୍ୱରାବ

ଯାମଘୋଷି-ଘୋଷେ

ମାଳ ତରୁଚାରୀ

ଝିଙ୍କାରୀ କି ତୋଷେ ?

 

 

ଡାଳୁ ଡାଳେ

ଉଠି ହଳଦୀ ବସନ୍ତ

ମୃଦୁ କଳରବେ

ଦିଏ କି ଉଦନ୍ତ !

ପଲ୍ଲବିତ ତରୁ

ବ୍ରତତୀ ଝାଉଁଳି

ଦିଶେ ଯେହ୍ନେ ଶୋକ

କାତର ପିତୁଳି !

 

 

 

ବାହାର ବିହାର

ପରିହରି ଅଳି

ପତ୍ର କୁଞ୍ଜେ ପୁଞ୍ଜେ

ମିଳନ୍ତି ଗୁଞ୍ଜରି ।

ପତ୍ରେ ପତ୍ରପରେ

ଉଡ଼ି ପ୍ରଜାପତି

ପକ୍ଷ ଚାଲି ମନ୍ଦେ

ପୁଣି ବିରମନ୍ତି ।

 

 

ଅବତରି ଗିରି-

ଶିଖୁ ଗୋରୁପଲ

ଆଶ୍ରିଲେଣି ଏବେ

ଛାୟା ତରୁତଳ ।

ଦେଖି ମଧ୍ୟାହ୍ନର

ପ୍ରତାପ ପ୍ରବଳ

କଣ୍ଟା କାଟି ବାଟ

କାଟିଲେ ଶବର ।

 

 

ଏହି ଯେ ଅଗ୍ରତେ

ଦିଶେ ଶୈଳଧାଡୀ

କୁହେଳି କି ତହିଁ

ଯାଇଅଛି ମାଡ଼ି ?

ଚାହୁଁ ଚାହୁଁ ଏବେ

ହୋଇଲା ଧୂମଳ

ବଦଳିଲା ପୂର୍ବ

ସେ ଭାବ ଶ୍ୟାମଳ ।

 

 

କାର ମଧ୍ୟ ପୀଠେ

ଉଠି ଧୂମସ୍ତୋମ

ବପୁକୁ ବିସ୍ତାରି

ବ୍ୟାପୁଅଛି ବ୍ୟୋମ ?

ଦାବାଗ୍ନିର ଅବା

ହେଲା କି ଉଦ୍ଭବ ?

ତ୍ରାସେ ବିକମ୍ପିତ

ଏବେ ଜୀବ ସର୍ବ ।

 

 

 

ତାତିଗଲା ତଳ

ସେ ତପତି ସଙ୍ଗେ,

ତପତ ସିକତା

ମହାନଦୀ ଅଙ୍ଗେ ।

ତାତିଲା ନରାଜ

ଶଇଳ ସୋପାନ

ପାରୁଶେ ପାଷାଣ-

ଖଣି ଗର୍ଭମାନ ।

 

 

ବିକଳେ ବିହଙ୍ଗେ

ଆସି ମାଳ ମାଳ

ସଙ୍ଖୁଳିଳେ ମୌନେ

ତୀର ତରୁ ଡାଳ ।

ଶୀତବାରି ଯୋଗେ

ବହିଲା ପ୍ରଖରେ,

ନରାଜ ମାରୁତ

ଶଇଳ ଶିଖରେ ।

 

 

ଶିଖର ବିଟପୀ

ପୁରାଣ ପିପ୍‌ପଳ

ରଟିଲା ପତ୍ରାଳୀ

ଚାଳି କୋଳାହଳ ।

ଶାଖା ଗୁଳ୍ମନାଶୀ

ବତାସ ଯେସନେ

ମାଡ଼ିଆସେ ଜଣା

ଗଲା ସୁପ୍ତ କର୍ଣ୍ଣେ,

 

 

ସେ ଘୋର ନିଃସ୍ୱନେ

ଭାଙ୍ଗନ୍ତେ ସ୍ୱପନ

ତେଜି ସହଯାତ୍ରୀ

ଖୋଜିଲି ବିଜନ ।

ରବିକରୋଜ୍ଜ୍ୱଳ

ସେ ତପ୍ତ ଅଞ୍ଚଳେ

କରନ୍ତେ ମନ୍ଦିର

ପ୍ରଦକ୍ଷିଣ ଥରେ,

 

 

 

ଦକ୍ଷିଣେ ଦିଶିଲା

ଗୁମ୍ଫା ଦୁଇଗୋଟି

ଏକ ନିମ୍ନେ ଅନ୍ୟ

ଊର୍ଦ୍ଧ୍ୱେ ଅଛି ଘୋଟି ।

ପଶ୍ଚିମକୁ ଦ୍ୱାର

ବେନିର ମୁକତ

ମଧ୍ୟେ ଗର୍ଭଦ୍ୱାରେ

ଏବେନି ଯୁକତ ।

 

 

ତଳଟିରୁ ବଳି

ଦୀର୍ଘ ଊର୍ଦ୍ଧ୍ୱତଳ,

ବସନ୍ତେ ଅନ୍ତର

ହୋଇଲା ଶୀତଳ ।

ଧନ୍ୟ ସେ ନିର୍ମାଣ-

କୌଶଳ ଏହାର

ନିଃଶଙ୍କ ଶିଳ୍ପୀଙ୍କ

ଟଙ୍କ (୧) ବ୍ୟବହାର,

(୧) ପାଷାଣ ଭେଦନଅସ୍ତ୍ର

 

ଶୈଳେ ଶୈଳେ ସବୁ

ଏ ଶିଳ୍ପ ଚାତୁରୀ

ବୌଦ୍ଧ କୀରତିର

ଚିରନ୍ତନୀ ତୁରୀ ।

ଧନ୍ୟ ଧନ୍ୟ ଆହେ

ବୌଦ୍ଧ ନରପତି

ଶୈଳ ଗର୍ଭ ଖୋଳି

ସ୍ଥାପିଲ କୀରତି,

 

 

ଧନ୍ୟ ତୁମ୍ଭ ଦମ୍ଭ

ଧନ୍ୟ ଶିଳ୍ପକଳା

ଶୈଳ କୋରିବାରେ

ହୋଇଲା କୁଶଳା ।

ଭାରତର ପ୍ରତି-

ଜନପଦେ ତବ

ରହିଛି ଏ ଶିଳ୍ପ

ଅନଳ୍ପ ବିଭବ,

 

କାହିଁ ଶୈଳଶିଖେ

ବିବରେ ନିତମ୍ବେ

କାହିଁ ଗିରିଖୋଲେ

ସ୍ତୂପେ ଯୂପେ ସ୍ତମ୍ଭେ ।

ବସାଇଲେ କେତେ

ରମ୍ୟ ସୌମ୍ୟ ମୂର୍ତ୍ତି

ତଥାପି ସ୍ଫୁର୍ତ୍ତିର

ହେଲାନାହିଁ ପୂର୍ତ୍ତି,

 

 

ପ୍ରଚାରିଲ ଧର୍ମ

ରାଜ୍ୟେ ପ୍ରଜାବନ୍ଧୁ

ଉଦ୍ଧରିବା ପାଇଁ

ଜନେ କର୍ମବନ୍ଧୁ ।

ପାରିନାହିଁ ଘୋର

ଏ କରାଳ କାଳ

ତବ କୀର୍ତ୍ତିମାଳ

ରହିଛି କଙ୍କାଳ ।

 

 

ପାରିଲେ କି ଲୋପି

ଭିନ୍ନଧର୍ମ୍ମୀ ଭୂପେ

ସ୍ଥାପି ଅନ୍ୟରୂପ

ସେହି ଭିତ୍ତି ସ୍ତୁପେ ?

ଛପିଅଛ ସତ୍ୟ,

କେତେ ସେ ମୂରତି

ହୋଇଲାଣି କାର

ଆନେ ପରିଣତି ।

 

 

ବହଳ ସିନ୍ଦୂର-

ଲେପେ କେ ହେଲାଣି

ଗ୍ରାମପ୍ରାନ୍ତ-ତରୁ

ତଳେ ଠାକୁରାଣୀ (୧)

କେ ସନ୍ଥମାଧବ (୨)

ନାମେ ପରିଚିତ

ହିନ୍ଦୁକରେ ପୁଷ୍ପ

ଚନ୍ଦନ ଚର୍ଚ୍ଚିତ,

 

 

 

(୧) ଉତ୍କଳର ବୌଦ୍ଧପ୍ରଧାନ ଅଞ୍ଚଳରେ ଏ ଦୃଶ୍ୟ ବିରଳ ନୁହେଁ । ଧଉଳି ଓ ଯାଜପୁରର ମୂର୍ତ୍ତି ଅନୁସନ୍ଧେୟ ।

 

 

(୨) ଯାଜପୁର ଠାରେ ଏକ ଅତି ସୁନ୍ଦର ବୁଦ୍ଧମୃର୍ତ୍ତି ମିଳିଥିଲା । ତାହାକୁ ସ୍ଥାନୀୟ ଲୋକେ ସନ୍ଥମାଧବ ବୋଲି ପରିଚୟ ଦିଅନ୍ତି ।

 

 

କାହିଁ ବାସୁଦେବ

ଧର୍ମ-ନିରଞ୍ଜନ

କାହିଁ ସିଦ୍ଧନାଥ

ଶାନ୍ତ ନାରାୟଣ ।

କାହିଁ ଶିବାଳୟ

ପାରଶ୍ୱ ଦେବତା

କାହିଁ ଦ୍ୱାରପାଳ

କିଏ ଜାଣିବ ତା ?

 

 

ତଥାପି ସେ ରୂପ

ଏ ଗୁମ୍ଫା ଗୋପନେ

ଜପୁଛନ୍ତି ତୁମ୍ଭ

ନାମ ଅନୁକ୍ଷଣେ,

ସେ ନାମ ଅଛି କେ

ନେବ ବା ଛଡ଼ାଇ ?

ଶୁଦ୍ଧବପୁ ସତ୍ୟ

 ଦେବ ଘଉଡ଼ାଇ ।

 

 

 

କି କ୍ଷଣେ ଜନ୍ମିଲ

ମୁନୀନ୍ଦ୍ର ଗୌତମ,

ପୂତ ଏ ଭାରତ

ଧାମ ଅନୁପମ,

ଭବେ ଅପ୍ରତିମ

ରାଜଲକ୍ଷ୍ମୀ ସୁଖ

ଉପେକ୍ଷି ସଂସାରୁ

ହୋଇଲ ବିମୁଖ ?

 

 

ଆଦରି ଦୁଷ୍କର

ତପସ୍ୟା ସାଧନ

ହରିବାକୁ ବିଶ୍ୱ-

ଜନଙ୍କ କଷଣ,

ଲଙ୍ଘି ଘୋରଗିରି

କାନ୍ତାର ସରିତ

ମହାବୋଧି ତଳେ

ହେଲ ଉପସ୍ଥିତ;

 

 

ସାଧି ମହାଯୋଗ

ମହାବୋଧ ତହିଁ

ଧରି ଉଦ୍ଧରିଲ

ପାପମୟୀ ମହୀ ।

ଅସ୍ତ-ଜ୍ଞାନ-ରବି

ପଶ୍ଚାତେ ଅନ୍ଧାର

ଘୋଟିଥିଲା ଧୀରେ

ଭାରତ ସଂସାର,

 

 

ସେ ତମିସ୍ରା ନାଶେ

ଶୀତରଶ୍ମି ବିଞ୍ଚି

ଶାନ୍ତିର ଭୁବନ

ହେ ନବ ବିରଞ୍ଚି

ରଚିଲ ଚନ୍ଦ୍ରମା-

ରୂପେ ଅବତରି

ଗଲା ଚଉଦିଗେ

ସେ ଜ୍ୟୋତି ପ୍ରସରି ।

 

 

 

ସୁଦୂର ସିଂହଳ

ତିବ୍ବତ ଜାପାନେ

ଉଡ଼ିଲା କେତନ

ତୁମ୍ଭ ଶୁଦ୍ଧ ନାମେ,

କାତ୍ୟାୟନ ଆଦି

କେତେ ମୁନିବର

ପ୍ରଚାରିଲେ ନବ

ଧରମ ତୁମ୍ଭର,

 

 

ସେହି ଧର୍ମ୍ମପୂରେ

ଭୂରି ଭୂରି ସୂରି

ପୂରି ଯୁଗେ ଯୁଗେ

ଏହି ଦେବପୁରୀ (୩)

ପୂରାଇଲେ ପୁଣି

ଦେଶ ଦେଶାନ୍ତର

ଉପଦେଶ ସୁଧା-

ରସେ ନିରନ୍ତର,

 

(୩) ଭାରତ ।

 

ସତ୍ୟ ଧର୍ମ ସାଥେ

ସଦ୍‌ଜ୍ଞାନ-ସରିତ

ବହିଗଲା ଦିଶି

ଦିଶି ଅବାରିତ ।

ଥିଲା କି ସୁପ୍ରଭା

ଭାରତ ଧରଣୀ

ଲଭିଲେ ଯେ କାଳେ

ସକଳେ ଏ ମଣି !

 

 

ରଚିଲେ କେ କେତେ

ଦିଗଗଜ ପଣ୍ଡିତ

ନାନାଶାସ୍ତ୍ର ଧର୍ମ-

ସୂତ୍ର ତର୍କାଶ୍ରିତ,

କଳା ବିସଂବାଦୀ (୧)

ବିଦ୍ୟାର ଯେସନ

ହୋଇଥିଲା ଋଦ୍ଧି,

କାଳର ତେସନ

 

 

(୧) ବିରୋଧୀ

 

 

 

ହେବାରୁ ସମୃଦ୍ଧି,

ବେନିଙ୍କ ମିଳନେ

ଭାରତ ଭାରୀ ତ

ସେ ଅପୂର୍ବ ଧନେ ?

ସେହି ଧନେ ହୋଇ

ଆଦ୍ୟ ଅଧିକାରୀ

କେତେ କେତେ ମୁନି

ଶୁଦ୍ଧ ବୁଦ୍ଧିଧାରୀ,

 

 

 

ସମାଜର ହିତେ

ଭଜି ପରିବ୍ରଜ୍ୟା

ଗୁହା ଗିରିଖୋଲେ

କଲେ ତପଶ୍ଚର୍ଯ୍ୟା ।

ଧନ୍ୟ ଯତି ! ତୁମ୍ଭେ

ବିଳ (୨) ବତ୍ସଳତା

ଯାପିଲ ସେକାଳ

ଅର୍ଜି ଅମରତା ।

(୨) ଗୁହା ବା ଗୁମ୍ଫା ।

 

କେଉଁ ଦମ୍ଭେ ତୁମ୍ଭେ

ଶୂନ୍ୟ ଶୈଳମୂଳେ

ଗମୁଥିଲ ଦିନେ

ମହାନଦୀ କୂଳେ ?

ଚଉପାଶେ ଭୀମ

ଶଇଳ ପଙ୍କତି

ମଧ୍ୟେ ଜଳାରଣ୍ୟ

କି ବିରାଟ ଅତି ?

 

 

ବିଷୟୀଙ୍କୁ ଏହା

ସିନା ଭୟଙ୍କର ?

ଥିଲ ତୁମ୍ଭେ କିନ୍ତୁ,

ଶୋଭାର କିଙ୍କର ।

ନିସର୍ଗ ସୁଷମା-

ସୋମରସପାନେ

ମତ୍ତ ହୋଇ ସିନା

ରତ ଥିଲ ଧ୍ୟାନେ ?

 

 

ଦେଖିଥିବ କେତେ

ବସି ଏ ନୀରୋଳେ

ଏହି କଲ୍ଲୋଳିନୀ-

କେଳି ବେନି ଡୋଳେ ।

ଏ ସ୍ନିଗ୍‌ଧ ଶ୍ୟାମଳ

ତରୁ ଗୁଳ୍ମଜାଳେ

ଶୁଭ୍ର ସଇକତ-

ଟଙ୍କ ଶୈଳମାଳେ ।

 

ଦିବ୍ୟ ଛବି ଅନୁ-

ଭବି ଏ ନୀରବେ

ଥିଲେ ଭବେ ହେଳି

ପାର୍ଥିବ ବିଭବେ ।

କାହିଁଗଲା ତୁମ୍ଭ

ସେ ଧ୍ୟାନ ଆସନ

ରହିଲା କେବଳ

ଏ ଶିଳା-ପତ୍ତନ ।

 

 

ଶୂନ୍ୟ ଗୁମ୍ଫା

ବହି ପଡ଼ିଛି ନରାଜ

ଏ କାଳକୁ ଲୋକେ

ତହିଁକି ନାରାଜ ?

ଅହିଂସା ଅଭୟ-

ଆଦି ସତ୍ୟ ବାଣୀ

ବଖାଣିବା ପାଇଁ

ଅଛି କେ ବିନ୍ଧାଣୀ ?

 

 

କିଞ୍ଚିତରେ ତାହା

ଏ ଗୁମ୍ଫାଅନ୍ତର

ଅଙ୍କୁରାଇ ଦିଏ

ଭାବୁକ ଅନ୍ତର ।

ଏ ଶିଳା-ମଣ୍ଡପ

ଏ ଶୈଳ ପବନ,

ତବ ଅନ୍ତେବାସୀ

ପ୍ରାୟ ଅନୁକ୍ଷଣ,

 

 

ଖଟନ୍ତି ପଥିକ

ପଥ୍ୟ ଲାଗି ଆହା

ବାହାରର ତାପ

ନ ପାଏଟି ରାହା ।

ଏ ନିଦାଘ ଦିବା

ଯଉବନ ଶଂସୀ

ନୃଶଂସ ଆତପ-

ପ୍ରତାପକୁ ଧ୍ୱଂସି,

 

 

 

ଦେଉଛି ଆଶ୍ୱାସ

ଶୀତ ଗାତ୍ରସ୍ପର୍ଶେ

ଦୂର ଦାବାଗ୍ନିର

ତପତିକୁ ଧର୍ଷେ ।

ଏ ନଦୀ ତରଙ୍ଗେ

ଶୀତଳିତ ଅଙ୍ଗ

ମନ୍ଦାନିଳେ ସ୍ଥଳୀ

ଲଭି ଅଙ୍ଗସଙ୍ଗ,

 

 

ବିତରଇ ସେହି

ଶାନ୍ତି ସୁଧାରସ

କ୍ଷଣେ ହୃଦ ଯାରେ

ହୁଅଇ ସରସ ।

କେତେ ଯତ୍ନେ ଭଲା

ଲଭିବ ସଂସାରି !

ଅଯତ୍ନ ଲବଧ

ଏହି ଶାନ୍ତିବାରି ।

 

 

ଏଠାର ମାଧୁରୀ

ଏ ଦେଶ ସୁଷମା,

ଏ ପୁଣ୍ୟ ବିଭୂତି

ପ୍ରୀତି ନିରୁପମା

ଏ ବିଜନ ସ୍ଥଳୀ-

କମନୀୟ ଛବି

ପାରିବି କି ଘରେ

ବସି ଅନୁଭବି ?

 

 

ଯେତେ ଦେଖ ତହିଁ

ମୋହିନୀ ମୂରତି

ହେବ କି ତହିଁରେ

ଆତ୍ମାର ତୃପତି ?

ସେ ରୂପରେ କାହିଁ

ଏତେ ପବିତ୍ରତା

ବିଶ୍ୱଜନପ୍ରିୟ

ସାଧୁତା ମୁଗ୍‌ଧତା !

 

 

 

ଭୁଞ୍ଜିବାକୁ ବାଞ୍ଛା

ଥିଲେ ଏ ସମ୍ପଦ

ଭଜ ଦିନେ ହେଲେ

ଏ ଭଳି ଆସ୍ପଦ !

ଖସିଲାଣି ଏବେ

ଦର୍ପ ତପନର

ଖଣିଗର୍ଭ ପୁଣି

ହେଲାଣି ମୁଖର ।

 

 

ଚଳିଲେ ପଥିକେ

ଛାୟାତରୁ ତେଜି

ନିଜ ନିଜ ଦୁଃଖ

ମନେ ମନେ ହେଜି ।

ଗାଈଆଳ ଜଳ

ନଦୀରୁ ପିଆଇ

ଉପରକୁ ପୁଣି

ତଡ଼ିଲାଣି ଗାଈ ।

 

 

ଆହାର ସଂଗ୍ରହ

ଆଶା ବହି ହୃଦେ,

ବିହଗ ବିହଗୀ

ବିହରିଲେ ମୁଦେ ।

ଚଉପାଶୁ ଆସି

ପକ୍ଷୀ ଦଳେ ଦଳେ

ଆଶ୍ରୟ ଭଜିଲେ

ମହାନଦୀ-ଜଳେ ।

 

 

ଉଠିଲା ମଗର

ଉଣ୍ଡି ଯୋଗ୍ୟକାଳ

ଜଳ ଆସ୍ତରଣ

ଭେଦି ବିକରାଳ ।

କ୍ଷଣେ ଜଳପରେ

କ୍ଷଣେ ତା ଅନ୍ତରେ,

ହର୍ଷେ ମତ୍ସ୍ୟ ଗ୍ରାସି

ଚିତ୍ରେ ଗତିକରେ ।

 

 

 

ମହାନଦୀ ଅଙ୍ଗେ

ଉପୁଜି ତରଙ୍ଗ

ପିଟି ହୋଇ ବେନି

କୂଳେ ଦେଲେ ଭଙ୍ଗ ।

ଦେଖି ଏହି ରଙ୍ଗ

ଉଠନ୍ତେ ଉପରେ

ଦକ୍ଷିଣ ପୂରୁବ

ରଖି ସମ୍ମୁଖରେ,

 

 

ପଡ଼ିଲା ଦକ୍ଷିଣେ

ଦୀର୍ଘ ଆୟତନ

ସମତଳ ଏକ

ଶିଳା ଆସ୍ତରଣ ।

ପ୍ରବେଶନ୍ତେ ଶାନ୍ତି

କାହୁଁ ଆସେ ତହିଁ

ମୋହେ ଯେ ଭାବୁକ

ମନ ରହି ରହି ।

 

 

ଏ କଣ ପ୍ରକୃତି

ଅବା ବୌଦ୍ଧକୃତି !

ନ ଜାଣିଲେ ଚିତ୍ତ

ନ ଭଜେ ନିବୃତ୍ତି ।

ବୋଧିସତ୍ତ୍ୱଙ୍କର

ଥିଲା କି ଏ ସଭା ?

ତାଙ୍କ ବିନା ଆନେ

ଏ ତ ଅସୁଲଭା ।

 

 

ଏହି ଠାବେ ଉଭା

ହୋଇ ବାଗ୍ମିବରେ

ପ୍ରଚାରୁ ଥିଲେ କି

ଧର୍ମ୍ମ ଏ ଅଞ୍ଚଳେ ?

ଗୁହାବାସୀ ଯତି-

ମାନେ ବା ବାହାରି

ହେଉଥିଲେ ଏଥି

ଶୋଭା ଅଧିକାରୀ !

 

 

 

ନିଶ୍ଚେ ବହୁ ପଦେ

ପୂତ ଏହି ସ୍ଥଳ

ତଳେ ପୁଣି ଦୂରେ

ରାଜେ ତଳେ ଗଡ଼ ।

ଗୈରିକ ରଞ୍ଜିତ

ଭିତ୍ତି ପରେ ଚାଳ

ଖର୍ବାକାରେ ଯହିଁ

ଦିଶେ ମାଳ ମାଳ,

 

 

ଏ ରମ୍ୟ ଅଞ୍ଚଳେ

ଦେଖି ଏ ବସତି

ହୃଦେ ଜାଗେ ଆଗେ

ସେ ପୂର୍ବ ମୂରତି ।

କେଉଁ ରାଜାଙ୍କର

ଥିଲା ରାଜଧାନୀ

କେ ତାହା ଏକ୍ଷଣି

ପାରିବ ବଖାଣି ?

 

 

ଇତିହାସ ଯହିଁ

ହୋଇଛି ନିରାଶ

ସେ ସତ୍ୟ ଲାଭେ କେ

କରିବ ପ୍ରୟାସ ?

ଏକା କଳପନା

ବିବୃତବଦନା

କରିପାରେ କିଛି

ତାର ଉଦ୍ଭାବନା !

 

 

ହରାଇ ଏ ସ୍ଥଳୀ

ସେ ପୂର୍ବ ଗୌରବ

ହୋଇଅଛି ଏବେ

ବିଲୁପ୍ତ-ବିଭବ ।

କାହିଁ ଗଲା ସେହି

ନିବାଡ଼ ନବର,

ଉଡ଼ୁଥିଲା ଯହିଁ

ନିତି ଫର ଫର,

 

 

 

ତୋରଣ ମସ୍ତକେ

ଚାରୁ ବୈଜୟନ୍ତୀ

ସିଂହାସନେ ହସୁ-

ଥିଲା ରାଜଛତି ।

ଅନ୍ତଃପୁରେ ଥାଇ

ଯହିଁ ପୁରନାରୀ

ଉତ୍ତର ପ୍ରାଚୀର

ସମ ମନୋହାରୀ,

 

 

ଏହି ଶୈଳପରେ

ରଖି ସ୍ଥିରଭୂରୁ,

ନିରେଖୁଣ ଥିବେ

ସଖୀସଙ୍ଗେ ଦୂରୁ ।

ପଲ୍ଲବିତ ତରୁ

ବ୍ରତତୀର ଶୋଭା

ନବୀନ ବସନ୍ତେ

ମନ ନେତ୍ର ଲୋଭା ।

 

 

ତହିଁ ସଙ୍ଗେ ନାନା

ପକ୍ଷୀଙ୍କର ମେଳା

ଡାଳରେ ହଳଦୀ-

ବସନ୍ତର ଖେଳା ।

ଶୁଣୁଥିବେ ପୁଣି

ପିକ କଳସ୍ୱନ

କୁଜନ ସଙ୍ଗତେ

ମଧୁପ ଗଞ୍ଜନ ।

 

 

ଏହି ଶୃଙ୍ଗେ କେବେ

ନବର ରସିକେ,

ନୃବର ଗହଣେ

ଦେଖୁଥିବେ ଠିକେ,

ପୁର ପ୍ରାଙ୍ଗଣର

ବିଚିତ୍ର ମାଧୁରୀ,

ସୁଧାରସେ ହୃଦ

ଯାଉଥିବ ପୁରି ।

 

 

 

ବିହୁଥିବେ ଯେବେ

ପଦାତି ପଙ୍କତି

ତଳେ ଚିତ୍ର ବ୍ୟୂହ,

ସେ ଛବି କେମତି ?

ଅଶ୍ୱ ପୃଷ୍ଠେ କର-

ସ୍ଫୋଟ ମାରି ଥୋକେ,

ଚାଲନ୍ତେ ଚଞ୍ଚଳେ

ଏଥି ଦିବାଲୋକେ,

 

 

କ୍ଷଣେ ହେଉଥିବ

ନେତ୍ର ଅଗୋଚର,

ଦରଶନେ ଯାର

ସହର୍ଷ ନୃବର ।

ମହାନଦୀ ଜଳେ

ହସ୍ତୀଙ୍କ ହୁନ୍ଦର

ଦିଶୁଥିବ ଆହା !

କେମନ୍ତ ସୁନ୍ଦର !

 

 

ନବର ଉତ୍ସବେ

ଏଥି ବାଦ୍ୟ ଧ୍ୱନି

ଧ୍ୱନିମୟ କରୁ-

ଥିବ ଏ ଅବନୀ,

ପ୍ରତି ଶୈଳ ଦେହେ

ହୋଇ ପ୍ରତିହତ

ପୁଣି ନଦୀ ବିଚି-

ଶବଦ ସଙ୍ଗତ ।

 

 

ଏହି ଘୋର ରୋଳେ

ଭାଙ୍ଗୁଥିବ ଜାଣ

ଏ ନିରୋଳେ ବୌଦ୍ଧ

ଯତିଙ୍କର ଧ୍ୟାନ ।

ଏହି ଶୈଳ ମୂଳେ

ଗଜବାଜିଶାଳ

ଥିବ, ଏବେ ତାର

କାହିଁ ବା କଙ୍କାଳ ?

 

 

 

ପ୍ରତି ପ୍ରାତେ ଏଥି

କବିକା ଚର୍ବଣ-

ସଙ୍ଗେ କରୁଥିବେ

ତୁରଗେ ଲେହନ,

ଆହାର ପାଶ୍ଚାତେ

ସଇନ୍ଧବ ଶିଳା,

ଝୁଲୁଥିବେ ଗଜେ

କରି ଚିତ୍ର ଲୀଳା ।

 

 

ତାଙ୍କର ବୃହିଂତ

ହ୍ରେଷା ମିଶ୍ରରାବେ

ମୁଖରିତ ସଦା

ଗୁମ୍ଫା ଏହିଠାବେ ।

କଲ୍ଲୋଳିନୀ-କଳ

କଳ ସେହିକାଳେ

ପରେ ଶ୍ରୁତିସୁଧା

ଢାଳୁଥାଇ ଢାଳେ ।

 

 

ଶୁଣି ଅସମ୍ଭାଳେ

ପୂର୍ଣ୍ଣ ଅନୁରାଗେ

ବିଶୃଙ୍ଖଳ ପାଦ

ଚାଳି ଆଗେ ଆଗେ,

ହରିଦ୍ରା କଳିତ-

ଅଙ୍ଗୀ ବରାଙ୍ଗୀଏ

ନାନା ଭଙ୍ଗୀକରି

ଚଳନ୍ତି ସଭିଏଁ ।

 

 

କେହି ରକ୍ତବସ୍ତ୍ରା

କେବା ପୀତାମ୍ବରୀ

କେହି ଘନ ନୀଳ-

ଚେଳା ବିମ୍ବାଧରୀ ।

ଯୁବମନଗଞ୍ଜୀ

ଅଞ୍ଜନର ଗିର

ଦିଶ ନେତ୍ରପ୍ରାନ୍ତେ

କେମନ୍ତ ରୁଚିରା ।

 

 

 

ଆକୁଳ କୁନ୍ତଳ

ଝଳେ ଗଣ୍ଡଫଳେ

ସୁଢଳ ତାଟଙ୍କ

ବେନିକର୍ଣ୍ଣେ ଢଳେ ।

ବସ୍ତ୍ର ଫୁଟି ହେମ-

ଅଙ୍ଗ ଦିଶେ ତୋରା

ଯୁବା ଦର୍ଶକର

କଷଣ ପାସୋରା ।

 

 

ମଦାଳସେ ଧୀରେ

ଚଳନ୍ତେ ପବନେ

ଅଞ୍ଚଳ କେତନ

ସ୍ଫୁରଇ ସଘନେ ।

ବଜାଇ ଚରଣେ

ନୂପୁର ବାଜଣା

ମଧ୍ୟେ ଦୋଳେ କଳ

ଧଉତ ରଶନା ।

 

 

ଏଣେ ତେଣେ ଲାସ୍ୟେ

ଚଳଭୂରୁ ଚାଳି

ପ୍ରବେଶନ୍ତି ନଦୀ-

କୂଳେ ସର୍ବ ଆଳୀ ।

ଦେଖି ସେ ପ୍ରସନ୍ନ

ମହାନଦୀ ଜଳେ

ଅଙ୍ଗ ଢାଳିବାକୁ

ପ୍ରସନ୍ନ ଅନ୍ତରେ,

 

 

ବୁଡ଼ାଇ ହେମାଙ୍ଗ

ଉଠୁ ତରତରେ

ବସନ-ପଟ୍ଟିକା

ବାତେ ଫରଫରେ ।

ଲଜ୍ଜା ଭୟେ ଅଙ୍ଗ

ସଂକୋଚିଣ ପୁଣି

ବୁଡ଼ନ୍ତି ବରାଙ୍ଗ

ଢାଙ୍କି ସେ ତରୁଣୀ ।

 

 

 

ଅର୍ଦ୍ଧ ଭାସମାନ

ସେ ମୁକ୍ତ କୁନ୍ତଳ

ସେ ବିମଳ ଜଳେ

ଦିଶେ ଢଳ ଢଳ ।

ଭାବୁକ ମାନସେ

ଆସେ ଏହି ଭାବ

ଦେଖି ଏଥି ସୁର-

ଧୁନୀ ଆବିର୍ଭାବ,

 

 

ଶୈବାଳ ଲାଂଛିତ

 ସ୍ୱର୍ଣ୍ଣ ପଦ୍ମାବଳି

ସକୁଦ୍ମଳ ଗଳ-

ମୃଣାଳେ କି ଝଳି ?

ଖେଳୁଥିଲେ ସେହି

ଅଙ୍ଗେ ଯେ ତରଙ୍ଗ

କେଉଁ କାଳୁଁ ଛାଡ଼ି

ଦେଲାଣି ତା ସଙ୍ଗ ।

 

 

ଭାସିଗଲା ପ୍ରାୟେ

ସୁନ୍ଦରୀର କେଶ

ଗଲାଣି ସେ ଦେଶ

ନାହିଁ ଚିହ୍ନ ଲେଶ ।

ବୁଡ଼ିଗଲା ଗଡ଼

କେଉଁ ରସାତଳେ

ତଳଗଡ଼ ନାମ

ରହିଲା ଭୂତଳେ ।

 

 

ଗଡ଼ ନାହିଁ ଗଡ଼-

ନାୟକେ ଅଛନ୍ତି

ପାଇକ ଭାଇଙ୍କ

ସଙ୍ଗେ ବାନ୍ଧି ପନ୍ତି ।

କାହିଁ ଗଲା ସେହି

ନାଗରୀଙ୍କ ଲୀଳା

ସବୁ କି ପାଲଟି

ଗଲା ଖଣି ଶିଳା ?

 

 

 

ତେଣୁ କି ଏ ମାନ

ବିବିଧ ବରଣ (୧)

ହରନ୍ତି ଦର୍ଶନେ

ଦର୍ଶକ-ନୟନ ।

କାହିଁ ଗଲା ସେହି

ଚତୁରଙ୍ଗ ବଳ

ଯେ ଘେନି ଏ ସ୍ଥଳ

ଥିଲା ଉର୍ଜସ୍ୱଳ ।

(୧) ଏଠା ଖଣିରେ ବିବିଧ ବର୍ଣ୍ଣର ସୁନ୍ଦର ପଥର ଦେଖାଯାଏ ।

କାହିଁଗଲେ ମହୀ-

ପତି ବଂଶଧରେ

କାହିଁ ତାଙ୍କ କୁଳ

କୀରତି ଏ ତଳେ ?

ସବୁ ଏହିପରି

ଏ ଭବେ ଭଙ୍ଗୁର

ସର୍ବଂକଷ କାଳ

କି ନ କରେ ଜୂର !

 

 

କି ଫଳ ତେବେ ଏ

ବୃଥା ଆସ୍ଫାଳନେ

ଅଭିମାନସ୍ଫୀତ

ବକ୍ଷ ପ୍ରସାରଣେ ?

କି ଧନ ସମ୍ମାନ

କି ଗୁଣ ଗୌରବ

ସବୁରି ତ କାଳ-

ହସ୍ତେ ପରାଭବ ।

 

 

ଏ ମାନ ପାଦପେ

ପୁଷ୍ପ କିଶଳୟ

ପରାୟେ ସୂଚିର

ନୁହଇଟି ଥୟ ।

 

ବୃକ୍ଷତଳେ ନିତି

ପଡ଼େ ଯେଉଁ ଛାୟା

କେଡ଼େ ଆଡ଼ମ୍ବର-

ଶୂନ୍ୟ ତାର କାୟା ?

 

 

ନାହିଁ ତହିଁ ଭେଦ

ପୁଷ୍ପ ପଲ୍ଲବର

ସୂକ୍ଷ୍ମ ସତ୍ତା ଏକ

ଦିଶେ ମନୋହର,

ଏହି ଛାୟାଧର୍ମ

ଅନୁସରି ସର୍ବେ

ଅନ୍ତର ନିର୍ମଳ

କର ଏହି ଭବେ ।

 

 

ଉତ୍ତରକୁ ଚେତି

ଏହି ଶୁଦ୍ଧ ବ୍ରତେ

ଚଳିଲି ଉତ୍ତର

ମୁଖେ ଟଙ୍କ ପଥେ ।

ଏହି ଯେ ଦିଶଇ

ଗୋଲ-ଚୂଳ କୋଠି (୨)

ତାର ପାଦତଳେ

ମହାନଦୀ ଲୋଟି,

 

 

(୨) ପାହାଡର ଉତ୍ତରରେ ମହାନଦୀ କୂଳରେ ପୂର୍ତ୍ତ ବିଭାଗର ସରକାରୀ କୋଠିଟି ଦିଶେ । ଏହାର ଗଠନ ବର୍ଣ୍ଣନାର ଅନୁରୂପ ।

 

 

ଧୁଅଇ ସେ ଶର-

ବିଦ୍ଧ ଦୀର୍ଣ୍ଣ ଶିଳା

ଯା ଶିର ମଣ୍ଡନ୍ତି

ସିନ୍ଦୂର-ନିଟଳା,

 

ଅଦ୍ୟାବଧି ସେହି

ଦେବୀ ଶଙ୍ଖେଶ୍ୱରୀ(୩)

ଯାର ଅତ୍ୟାଚାରେ

ସୁରେନ୍ଦ୍ର-କେଶରୀ

 

 

(୩) ପୂର୍ବକାଳରେ ଏହି ସ୍ଥାନର ଶବର ଦେବତା ଶଙ୍ଖେଶ୍ୱରୀ ମନୁଷ୍ୟମାନଙ୍କ ଉପରେ ଉତ୍ପାତ କରୁଥିବାର ଶୁଣି ବନବାସୀ ଅର୍ଜ୍ଜୁନ କ୍ରୁଦ୍ଧହୋଇ ତାହାକୁ ନାରାଚ ବା ଶର ବିନ୍ଧିଥିଲେ । ସେହି ନାରାଚ ଦେବୀଙ୍କ ପାଦ ପାର୍ଶ୍ୱରେ ପଡ଼ିବାରୁ ସେ ଭୀତ ହୋଇ ଜନସଂହାରରୁ କ୍ଷାନ୍ତ ହୋଇଥିଲେ ।

 

 

ଧନ୍ୱୀ ଧନଞ୍ଜୟ

କୋପିଲେ ଦ୍ୱାପରେ,

ବନବାସୀ ହୋଇ

ବନୁଁ ବନାନ୍ତରେ

ଭ୍ରମୁଥିଲେ ଯେବେ

ସଂକଳ୍ପ ପାଳନେ

ଏ ଦେଶେ, ସେ କାଳେ

ପଡ଼ିଲା ଶ୍ରବଣେ,

 

 

‘‘ଶବର ଜନନୀ

ସଂହାରଇ ସର୍ବେ

କେ ଅଛ ଉଦ୍ଧର,

କ୍ଷତ୍ରିୟ ଏ ଭାବେ’’ ।

ସରୋଷେ ଗାଣ୍ଡୀବୀ

ତହିଁ ତରତରେ

ପେଷନ୍ତେ ନାରାଚ

ଦେବୀ ଉଦ୍ଦେଶ୍ୟରେ,

 

 

 

ଆଶୀବିଷ ସମ

ଭୀଷଣ ନିଃସ୍ୱନେ

କ୍ଷଣେ ଚମକାଇ

ବ୍ୟୋମ ଆସ୍ତରଣେ,

ପଡ଼ିଲା ଏଠାବେ

ଦେବୀ ପାଦମୂଳେ,

ତା ଦର୍ଶନେ ଦେବୀ

ଅଥୟ ଆକୁଳେ ।

 

 

ସେ ନାରାଚେ ଖଣ୍ଡ

ଖଣ୍ଡ ହୋଇ ଶିଳା

ଗଣ୍ଡଶୈଳୁ ଖସି

ନଦୀରେ ପଶିଲା ।

ସେହି ଦିନୁ ସ୍ଥଳୀ

ନରାଜ ବିଦିତ,(୪)

ମହାନଦୀ ବୀଚି-

ଧୌତ ପଦାଙ୍କିତ ।

 

 

(୪) ତେଣୁ ସ୍ଥାନର ନାମ ନାରାଚ (ଅପଭ୍ରଷ୍ଟ ହୋଇ ନାରାଜ ବା ନରାଜ) ହେବାର ସ୍ଥାନୀୟ କିମ୍ବଦନ୍ତୀ ପ୍ରଚଳିତ ଅଛି । ବର୍ତ୍ତମାନ ଏହା କୋଠି ତଳ ଗଣ୍ଡ ଶୈଳରେ ଗୋଟିଏ ଭଗ୍ନଶିଳା ଉପରେ ଶବରଦ୍ୱାରା ଏହି ଦେବୀଙ୍କର ପୂଜାଦି ହୋଇ ଆସୁଅଛି ! ତତ୍ସଂଲଗ୍ନ ଗୋଟିଏ ତିର୍ଯ୍ୟକ୍ ବିଦ୍ଧ ସ୍ତମ୍ଭାକାର ଶିଳାକୁ ଅଦ୍ୟାପି ସ୍ଥାନୀୟ ଲୋକେ ସେହି ନାରାଚ ବୋଲି ଆଗନ୍ତୁକଙ୍କୁ ଚିହ୍ନାଇ ଦିଅନ୍ତି !

 

 

 

ଦକ୍ଷିଣେ ଏହାର

ନରାଜ କୁମାରୀ

କୁମାରୀ ପରାଏ

ଏହି ସୁକୁମାରୀ

ଥିଲା ଅବିକ୍ଷତ,

ହସ୍ତା ନ ଲାଗନ୍ତେ

ପ୍ରପୂରିତ ବକ୍ଷ

ଦେଖାଇ ଜଗତେ ।

 

 

ନଳାବନ୍ଧି (୧)

ଲାଗି ହୁଅନ୍ତେ ନିର୍ବନ୍ଧ

ବିନ୍ଧ୍ୟ ହେଲା ସର୍ବ

ପୂର୍ବ ପ୍ରତିବନ୍ଧ ।

ସେହିଦିନୁ ଏହି

ପୂର୍ଣ୍ଣ ଗର୍ଭବତୀ

ଯୋଗାଇଛି କେତେ

ପାଷାଣ ସନ୍ତତି ।

 

 

(୧) କାଠଯୋଡ଼ୀର ଆନିକଟ ହେବା ସମୟରେ ଏହି ନରାଜ କୁଆଁରୀ ନାମକ ଖଣିରୁ ପଥର ଯାଇଥିଲା । ପୂର୍ବୋକ୍ତ କୋଠିର ଦକ୍ଷିଣରେ ଏହି ଦୀର୍ଘ ଖଣିଟି ଅଛି

 

 

ଅଦ୍ୟାପି ସେମାନ

କାଠଯୋଡ଼ୀ ବକ୍ଷେ

ସେତୁ ଦେହେ ପୁରି

ରହିଛି ପ୍ରତ୍ୟକ୍ଷେ ।

ଅନର୍ଗଳ ନଳା-

ରନ୍ଧ୍ରେ ଊର୍ଦ୍ଧ୍ୱ ଜଳ

କର୍ଣ୍ଣକଟୁ ନାଦେ

ଝରେ ଅବିରଳ ।

 

 

 

ନିଶାନ୍ତେ ନରାଜ-

ବାସୀଙ୍କର ସ୍ୱାପ-

ଭଙ୍ଗେ ଦକ୍ଷ ଏକା

ଏହାରି ପ୍ରତାପ ।

ବାମେ ମହାନଦୀ

ସମ୍ପୂର୍ଣ୍ଣ ବିଭବେ

କାଠଯୋଡ଼ୀ ପୂର୍ବ-

ମୁଖୀ ଶୂନ୍ୟଗର୍ଭେ ।

 

 

ନଳା ବନ୍ଧେ ଏବେ

ହୋଇ ସେ ଦୁର୍ବଳା

ଗ୍ରୀଷ୍ମେ ବସିଲାଣି

ହେବାକୁ ନିର୍ଜଳା ।

କ୍ଷୀଣ ଜଳରେଖା

ଗ୍ରାମ ପୃଷ୍ଠଭାଗେ

ଗତିହୀନ ସ୍ତବ୍‌ଧ

ପ୍ରାୟ ଦିଶେ ଆଗେ ।

 

 

ଦିବା ଅବସାନ

ଦେଖି ଏବେ ପରା

ନୀର ଆହରଣେ

ହେଲେଣି ତତ୍ପରା ।

ଏ ଗ୍ରାମ ଗୃହିଣୀ

ବହି କୁମ୍ଭ ବେନି

ଏକ କରତଳେ

ଆନ କକ୍ଷେ ଘେନି ।

 

 

ଗୋପାଳ ମଧୁରେ

ଦେଇ ଗାଲତୁରୀ

ଗିରିଶିଖୁ ଗୋରୁ

ଆଣଇ ଘଉଡ଼ି ।

ବହି ଏବେ ବାତ

ଉଷ୍ଣନାଶ ଭବ

ବିହିଲା ସରିତେ

ସିକତିଳ ନଭ ।

 

 

 

ସିନ୍ଦୂରିତ ପୁଣି

ବାରୁଣୀ ଲଲାଟ

କନକର ଟୋପା

ଯହିଁ ଜ୍ୟୋତିରାଟ ।

କ୍ଷଣକେ ସେ ଗୋଳା

ସିନ୍ଦୂର କ୍ଷରଣେ

ଗୋଲକ ଝଲିଲା

ପାଟଳ ବରଣେ ।

 

 

ଘୋଟିଗଲା ଚାହୁଁ

ଚାହୁଁ ପାଟଳିମା

ଜ୍ୟୋତି ପାରିଜାତ

କିବା ବ୍ୟୋମସୀମା ?

ଛୁରିତ ସେ ବିମ୍ବେ

ତହୁଁ ଦେଲା ଦେଖା

ଛୁରିଦେଲା ପ୍ରାୟେ

କୃଷ୍ଣ ଅଭ୍ର ରେଖା ।

 

 

କଜ୍ଜ୍ୱଳର ଗିରା ଯେହ୍ନେ

ପରେ ପରେ

ଆବରିଲା ସେହି

ଛବିକି ଅମ୍ବରେ ।

ଡୁବିଗଲା ସେ

କଜ୍ଜ୍ୱଳ ଉଢ଼ାଳେ

ହତଛବି ରବି

ଦେବୀହାରପାରେ ।

 

 

ଫଗୁର ପିଚିକା

ମାରିଲା ପରାୟେ

ରକ୍ତ ରବିକର

ସ୍ଫୀତମୁଖେ ଧାଏଁ ।

ଧାଇଁଲେ ଯାବନ୍ତ

ଜୀବ ଯେଝା ବାସେ

ଲଭନ୍ତି ସେ ଛବି

ପଶ୍ଚିମ ଆକାଶେ ।

 

 

 

ପ୍ରଚାରି ଖେଚରେ

ମହା କୋଳାହଳେ

ବାହୁଡ଼ିଲେ ନୀଡ-

ତରୁଡାଳେ ଡରେ ।

ମେଳ ବାନ୍ଧି ଦଳେ

ଦଳେ ବଟବୃକ୍ଷେ

ରଟିଲେ କରଟେ

ବସି ଅତି ରୁକ୍ଷେ ।

 

 

ରଥାଙ୍ଗ ଦମ୍ପତୀ

ମହାନଦୀ ଜଳେ

ଶୋକାକୁଳେ ପକ୍ଷ

ଚାଳି ଉଡ଼ିଗଲେ ।

ବିସର୍ଜି ଅପର

ପାରେ ରଥାଙ୍ଗୀରେ

ଶୋକ-ସ୍ୱରେ କୋକ

ବାହୁଡ଼ିଲେ ଧୀରେ ।

 

 

କାହୁଁ ମହାଛାୟା

ଅଇଲା ଏ ଧାଇଁ

କାଳିମାରେ ସବୁ

ଦେଲାକ ଗୋଲାଇ !

ଚାହୁଁ ଚାହୁଁ ମହୀ

ସେ ଛାୟା ଗରଭେ

ଡୁବିଗଲା ଯେହ୍ନେ

ନୀରବେ ନୀରବେ ।

 

 

ନଭସ୍ତଳେ ମିଶି-

ଗଲା ଶୈଳମାନ

ଗୋଟି ଗୋଟି ଦୂରୁ

ଭଜି ଅନ୍ତର୍ଦ୍ଧାନ ।

ସ୍ୱର୍ଣ୍ଣ ପୁଚ୍ଛ ମେଲି

ଦାବାଗ୍ନି ସ୍ତିମିତେ

ପର୍ବତ ପରତେ

ଆଣିଲା କିଞ୍ଚିତେ ।

 

 

 

ଦେଖୁ ଦେଖୁ ରେଖା

ରଖିଲା ପରାଏ

ଖେଦିଗଲା ଶିଖା

ଗିରି ଶିଖାଯାଏ ।

ରବିପଛେ ଧୂମ-

ପୁଚ୍ଛ କି ବଡ଼ାଇ

ଆସିଲା ଏ ଭୀମ

ଧୂମକେତୁ ଧାଇଁ ?

 

 

ଧୁମକେତୁ ସମ

ବିଶ୍ୱ ତ୍ରାସ କର

ଦୂରକୁ ପୁଣି ଏ

ଦିଶଇ ସୁନ୍ଦର ।

ସୁନୀଳ ଅମ୍ବରେ

ଲିପ୍ତ ଶୈଳ ଅଙ୍ଗେ

ସ୍ଥିର ତଡ଼ିଲ୍ଲତା

ପରାଏ କି ରଙ୍ଗେ ?

 

 

ବିପରୀତେ ଏଣେ

ଲଭି ଶୋଭାସାର

ପ୍ରାଚୀ ସୁହାସିନୀ

ଦିଶଇ ଉଦାର ।

କସ୍ତୁରୀ ଲାଞ୍ଛିତ

ଚନ୍ଦନର ବିନ୍ଦୁ

ପ୍ରାଏ ଶୋଭାପାଏ

ଭାଲେ ବାଳଇନ୍ଦୁ,

 

 

ତାରକା ଗୁମ୍ଫିତ

ରତ୍ନମୟ ହାରେ

ପଦକ ପରାଏ

କବି କଳ୍ପନାରେ ?

ବିଭାବରୀ ଆସୁ

ବିଭାରେ ଭାସ୍ୱର

ହୋଇ ଉଜଳିଲା

ଅବନୀ ଅମ୍ବର ।

 

 

 

ସୁଧା ଧୌତ ପ୍ରାୟ

ଦିଶିଲା ଧବଳ

ପ୍ରସାରିତ କାଠ-

ଯୋଡ଼ୀ ଉରସ୍ଥଳ ।

ଦିଶେ ଚାନ୍ଦିନୀରେ

ବୋଳା ଧାରା ଜଳ

ସୁରଧୁନୀ ପୟଃ

ପରାୟେ ନିର୍ମଳ ।

 

 

ଶୀତାଂଶୁ ପରଶେ

ଶୀତ ସମୀରଣ

ଆସିଲା ମୁଖରି

ତୀର ତରୁବନ ।

ନରମୁଣ୍ଡେ ଗଢ଼ା

ଏ ମୁଣ୍ଡମୁହାଣ

ଶୁଭ୍ରତାରେ ଆହା

କେଡ଼େ ମହୀୟାନ ।

 

 

ସମର ବିଜୟୀ

ଚୋରଗଙ୍ଗଙ୍କର

ଯଶଃ ପଟବତ

ଦିଶଇ ଭାସ୍ୱର !

ବିପରୀତେ ଏବେ

ଶୋଭେ ବୀରଧ୍ୱଂସୀ

ବିଡାନାସୀ ନାମେ

ଭଗ୍ନ ବାରାଣସୀ ।

 

 

ଲିଭି ନାହିଁ ତାର

ପୂର୍ବ ଅଭିମାନ

ସଂସ୍କାରେ ଅଦ୍ୟାପି

ରହିଛି ଶ୍ମଶାନ !

ଛଟକେ କଟକୁଁ

ନାନା ଗଳ୍ପ ଭାଷି

ଆସନ୍ତି ନରାଜ

ପୁରଅଧିବାସୀ ।

 

 

 

ବହୁକଷ୍ଟେ ଯାହା

ନେଇଥିଲେ ବାହି

ବିନିମୟେ ତାର

ପାଇଛନ୍ତି ପାହି ।

ନାହିଁ ଆଉ ଚିନ୍ତା,

ସେ ପ୍ରଖର ତାପ,

ବୈପରୀତ୍ୟେ ଏବେ

ଆନନ୍ଦ ଅମାପ ।

 

 

ନିଶାପାତେ ଯେଝା

ବାସେ ଗଲେ ଚଳି,

କାଠଯୋଡ଼ୀ ବନ୍ଧ

ହେଲା ନେତ୍ରାର୍ଗଳୀ ।

ଅର୍ଗଳୀ ହେଲା ସେ

ଶୋଭାର ଭୁବନେ

ଫେରିଲି ଭବନେ

ତେଣୁ ଶୂନ୍ୟ ମନେ ।

 

 

ଆହା, ଏହି ଶୋଭା

ବାଣୀ-ସଂଜୀବନୀ

ଭବେ ବିଶ୍ୱ ଜନ-

ମନ ଆହ୍ଲାଦିନୀ ।

ଏହି ସିନା ସର୍ବ

ଜୀବର ଜୀବନ,

ଏହା ଘେନି ଦୁଃଖ-

ଭୁବନେ ଚେତନ

 

 

ଜୀବନ୍ତ, ଯାବନ୍ତ

ଏକାଳ ଅର୍ଣ୍ଣବ

ଅଭ୍ୟାସି ନାହିଁଟି

ଗ୍ରାସ ଅନୁଭବ ।

ନୁହେଁ କେଉଁ ପ୍ରାଣୀ

ତ୍ରାସେ ବିକମ୍ପିତ

ଭବୁଁ ଶୋଭାରାଣୀ

ହେଲେ ତିରୋହିତ ।

 

 

 

ଶୋଭା ଆବିର୍ଭାବେ

ସର୍ବେ ଜାଗରୁକ

ଶୋଭା ଯୋଗୁଁ ସିନା

ମୂର୍ଖ ବାବଦୂକ ।

ଏ ନିଃସର୍ଗ ସେବା

କରି କବିବରେ

ଲଭିଥିଲେ ଦିବ୍ୟ

ରସନା ତା ବରେ ।

 

 

ନମଇଁ ଗୋ ଶୋଭା

ଦେବି, ତବ ପଦେ

ଭାଗୀ କର ଦିନେ

ସେ ଦିବ୍ୟ ସମ୍ପଦେ ।

କିରୂପେ ବରଦା

ହୁଅନ୍ତି ବାଗ୍‌ଦେବୀ

ବର କବିବର୍ଗେ,

ତୋର ପଦସେବୀ ।

 

 

ଦିଅ ମା ସେ ବର

ସେ ବିଭବ ଆଣି,

ତବ ପ୍ରସାଦରେ

ଲଭିବି ସେ ବାଣୀ !

ଶୋଭାମୟ ବିଭୁ,

ଶୋଭାର ଜଗତ

କଳ ପ୍ରସାରିତ,

କିନ୍ତୁ ଅଶକତ

 

 

ଏ ଅଧମ ଜନ

ତାହାର ଗ୍ରହଣେ

ଦିଅ ପ୍ରଭୁ, ନବ

ଶକ୍ତି ଏ ଜୀବନେ ।

ଫୁଲ୍‌ଗୁ ଦଶମୀର

ଏ ଫଲ୍‌ଗୁ କବିତା

କାହା କରେ ବଢି

ହେବା ବା ଶୋଭିତା ।

 

 

 

ନାହିଁ ଏଥି ଲବେ

କବିତାର ଛଟା

କବି କଳପନା

ଅଳଙ୍କାର ଘଟା ।

ବାରିଛନ୍ତି ସୁଧା-

ସ୍ୱାଦ ଯେଉଁମାନେ

ସେ କିପାଁ ରସିବେ

ଖାଲି ଜଳପାନେ ?

 

 

ଶୁଦ୍ଧବର୍ଣ୍ଣ ସ୍ୱର୍ଣ୍ଣ

ସମୀପେ ଦେଖି ଏ

ତୁଚ୍ଛ ପିତଳକୁ

ପଚାରିବ କିଏ ?

କାହା ପାଖେ ଏହି

ତୁଚ୍ଛ କାରିଗରୀ

ଦେଖାଇବି କେଉଁ

ଦମ୍ଭ ଅବା ଧରି ?

 

 

ବରଜି ଥିଲି ମୁଁ

କବିତା ପ୍ରସଙ୍ଗ

ଅରଜିଲା ମନ

ଏକି ଅନ୍ୟାସଙ୍ଗ ?

କବିବରଙ୍କର

ଉପଦେଶ ଡରେ

କବିତାକୁ କେବେ

ଲେଖନୀ ନ ଧରେ ।

 

 

ରଚନାରେ ସେହି

କବିଙ୍କ ଭାରତୀ

ରସନାରେ ଖେଳି

ବଳାଇଲା ମତି ।

ଖ୍ୟାତିଲାଭେ ଅବା

ଯଶ ଲାଳସାରେ

ଲେଖିନାହିଁ ପାଞ୍ଚ

ଲୋକ ବ୍ୟବହାରେ ।

 

 

 

ସ୍ଥାନକ୍ଷଣ ପାଇ

ବଳିଗଲା ମନ

ନାହିଁ ମୋ ଏଥିରେ

କିଛିହିଁ ଯତନ ।

ଜାଣଇ ଏହାର

ନୋହିବ ଆଦର

ତଥାପି ଅନ୍ତରେ

ହେଲା ଏହି ବଳ,

 

 

ଏ କବିତା ଲୋକେ

ହେଲେ ହସ୍ତଗତ

ଗୁଣ ବୈପରୀତ୍ୟେ

ନିଶ୍ଚେ ବଢ଼ିବ ତ ।

ଆନର ମହତପଣ,

ତାହା ଶ୍ରେୟ

ନାହିଁ ଦୁଃଖ ଏହା

ହେଉ ପଛେ ହେୟ ।